ଭୟଙ୍କର ବାତ୍ୟାରେ ପରିଣତ ହେଲା "ଆମ୍ଫାନ" ! ଏହି ଜିଲ୍ଲା ମାନଙ୍କରେ ପଡିବ ପ୍ରଭାବ ।

ଭୁବନେଶ୍ବର ୧୮/୦୫/୨୦୨୦ (ନୟାଗଡ଼ ଖବର) : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ଆଜି ସନ୍ଧ୍ୟାରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ରାତି ଏଗାରଟା ୧୫ ବେଳକୁ ଭାରତୀୟ ପାଣିପାଗ ବିଭାଗ ଯେଉଁ ବୁଲେଟିନ୍ ଜାରି କରିଛନ୍ତି, ସେ ଅନୁସାରେ ବାତ୍ୟା ପାରାଦୀପ ଠାରୁ ୯୦୦ କିଲୋମିଟର ଦକ୍ଷିଣରେ ରହିଛି ଓ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢିବା ସହିତ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଏମିତି ଯେ ସୋମବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ଭୀଷଣ ରୂପ ଧାରଣ କରିବ। ସେତେବେଳକୁ ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟାପ୍ରତି ୧୬୦ରୁ ୧୭୦ କିଲୋମିଟର ଥିବ ଓ ମଝିରେ ମଝିରେ ୧୮୫ କିଲୋମିଟର ବେଗରେ ଝଟ୍‌କା ଦେଉଥିବ। ପାଖାପାଖି ୩୬ ଘଣ୍ଟା ଧରି ବାତ୍ୟା ଏଭଳି ରୂପରେ ସମୁଦ୍ରକୁ ଗୁରାଣ୍ଡିବା ବେଳେ ଉପକୂଳ ଓଡ଼ିଶାରେ ଏକ ବଡ଼ ପ୍ରଭାବ ରଖି ଫେରିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି।


ଆଜି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଯେଉଁ ଚିତ୍ର ଆଙ୍କିଛନ୍ତି, ସେଥିରେ ବାତ୍ୟା ଅମ୍ଫାନ ଅତି ଭୀଷଣ ରୂପ ଧାରଣ କରି ଆଗକୁ ବଢ଼ିବା ବେଳେ ଉପକୂଳ ଓଡ଼ିଶା ଦେହରେ ଘଷି ହୋଇଯିବ।
ଆସନ୍ତା ୨୦ ତାରିଖ ଦିନ ଅପରାହ୍ନରେ ଅତି ଭୟଙ୍କର ବାତ୍ୟା ରୂପ ନେଇ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ବୀପ ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିବା ପୂର୍ବରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରଭାବ ରଖିବ। ଭଦ୍ରକ ଓ ଚାନ୍ଦିପୁରର ଅତି ନିକଟରେ ବାତ୍ୟା ଆଗକୁ ଯିବ।

ଭାରତର ପାଣିପାଗ ବିଭାଗ କହୁଛି, ୧୮ ତାରିଖ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଦେଖିବାକୁ ମିଳିବ। ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଓ ମଝିରେ ମଝିରେ ୬୫ କିଲୋମିଟର ବେଗରେ ଝଟ୍‌କା ଦେବ। ୧୯ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ। ୨୦ ତାରିଖ ସକାଳ ପରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଜିଲ୍ଲାରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ ଓ ସ୍ଥଳ ବିଶେଷରେ ୯୫ କିଲୋମିଟର ବେଗରେ ଝଟ୍‌କା ଦେବ। ଧୀରେ ଧୀରେ ଏହା ବଢିବ ଓ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ। ମଝିରେ ମଝିରେ ୧୩୫ କିଲୋମିଟର ବେଗରେ ପବନ ଆସି ଝଟ୍‌କା ଦେବ। ପୁରୀ, କଟକ, ଖୋର୍ଧା, ଯାଜପୁର ଜିଲ୍ଲାରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିବ। ବେଳେ ବେଳେ ୭୫ କିଲୋମିଟର ବେଗରେ ଆସି ଧକ୍‌କା ଦେବ।

ପାଣିପାଗ ବିଭାଗ ସୂଚାଇଛି ଯେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ କଚ୍ଚା ଘର ଓ କିଛି ପକ୍କା ଘର ପ୍ରତି ବାତ୍ୟା ବିପଦ ଆଣିପାରେ। ଆଜବେଷ୍ଟସ୍ ଉଡ଼ାଇ ଦେବା ଅସମ୍ଭବ ନୁହେଁ। ଟେଲିଫୋନ୍ ଟାଵାର, ବିଦ୍ୟୁତ ଖୁଣ୍ଟ ଉପୁଡ଼ିପାରେ। ରେଳସେବା ବ୍ୟାହତ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ପଶ୍ଚିମବଙ୍ଗ ଉପକୂଳରେ ୧୨ଫୁଟରୁ ଅଧିକ ଉଚ୍ଚର ଜୁଆର ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ବିଭିନ୍ନ ମଡ଼େଲକୁ ଅନୁଧ୍ୟାନ କହି ପୂର୍ବାନୁମାନ କରିଛନ୍ତି ଯେ ବାତ୍ୟା ଅମ୍ଫାନ୍ ଟି-୪.୫ ଶ୍ରେଣୀର। ଏହା ଆଜି ସନ୍ଧ୍ୟାରେ ପାରାଦୀପ ଠାରୁ ୯୨୪ କିଲୋମିଟର ଦୂରରେ ଥିଲା ଓ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଯିବା ଆରମ୍ଭ କରିଛି। ଏହା ଅତିଭୟଙ୍କର ବାତ୍ୟା ପରିଣତ ହୋଇସାରିଲାଣି ଓ େକନ୍ଦ୍ରସ୍ଥଳରେ ପବନର ବେଗ ୧୩୫ କିଲୋମିଟର ପାଖାପାଖି ରହିଛି।

ଡ. ପଶୁପାଳକ କହିଛନ୍ତି ଯେ ରିପୋର୍ଟ ଲେଖା ହେବା ବେଳକୁ ବାତ୍ୟା ଦିଗ ପରିବର୍ତନ କରିବା ଆରମ୍ଭ କରିଛି। ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଏବେ ଆଗକୁ ବଢ଼ିବ। ବାଂଲାଦେଶ-ଦୀଘା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ, ଯେତେବେଳେ ପବନର ବେଗ ଥିବ ଘଣ୍ଟାପ୍ରତି ୧୩୫ କିଲୋମିଟର। ୧୮ ତାରିଖ ମଧ୍ୟାହ୍ନରେ ବାତ୍ୟା ଅତି ଭୀଷଣ ରୂପ ଧାରଣ କରିବ ଓ ୧୯ ତାରିଖ ସନ୍ଧ୍ୟା ବେଳକୁ ବିଶାଖପାଟଣା ଦୂରରେ ଥିବା ବେଳେ ପବନର ବେଗ ୨୦୦ କିମି ଉପରେ ରହିଥିବ। ୧୮ ତାରିଖ ସନ୍ଧ୍ୟା ପରେ ଏହା ଅଧିକ ପୂର୍ବ ଆଡ଼କୁ ଢଳି ଗତି କରିବ।

୧୯ ତାରିଖ ବିଶାଖାପାଟଣାରୁ ୨୦ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବା ଭିତରେ ସମୁଦାୟ ଅଞ୍ଚଳକୁ ଅମ୍ଫାନ୍ ୨୪ ଘଣ୍ଟାରେ ଅତିକ୍ରମ କରିବ। ଓଡ଼ିଶା ଦେଇ ସେ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଯିବ। ପାରାଦୀପ ଠାରୁ ୧୨୦ କିଲୋମିଟର ଏବଂ ଚାନ୍ଦିପୁରଠାରୁ ୧୦୦ କିଲୋମିଟର ଦୂର ସମୁଦ୍ରରେ ବାତ୍ୟା ଗତିକରିବ ବୋଲି ଡ. ପଶୁପାଳକ କହିଛନ୍ତି। ୧୯ ତାରିଖରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ମଧ୍ୟମରୁ ଭାରି ବର୍ଷା ହେବ। ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବ। ତେବେ ବାଲେଶ୍ବର ଓ ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପାରାଦୀପ ପାଖରେ ପବନର ବେଗ ୮୦ କିଲୋମିଟର, ସ୍ଥଳବିଶେଷରେ ୯୦ କିଲୋମିଟର ବେଗରେ ଝଟ୍‌କା ଦେବ। ଚାନ୍ଦବାଲିରେ ପବନର ବେଗ ୭୦ କିଲୋମିଟର ରହିବ।

ପରିସ୍ଥିତିକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ବାତ୍ୟା ଅସ୍ତରଙ୍ଗଠାରୁ ୧୨୩ କିଲୋମିଟର ଦୂର ସମୁଦ୍ରରେ ଗତି କରିବ। ସେହିପରି ଧାମରାଠାରୁ ୭୦, ଚାନ୍ଦିପୁରଠାରୁ ୮୭ କିଲୋମିଟର ଦୂରରେ ଆଗକୁ ବଢିବ। ଏହା ଦୀଘା ଠାରୁ ୪୮ କିଲୋମିଟର ଦୂରରେ ସ୍ଥଳଭାଗକୁ ସ୍ପର୍ଶ କରିପାରେ ବୋଲି କୁହାଯାଉଛି।
Next Post Previous Post
No Comment
Add Comment
comment url