Ticker

6/recent/ticker-posts

ଆଜିଠୁ +୨ ପରୀଷ୍ଖା ଦେବେ ୩ଲଷ୍ଖ୍ ୪୦ ହଜାର ୮ଶହ ଛାତ୍ରଛାତ୍ରୀ, କପି ରୋକିବାପାଇଁଁ ତ୍ରିସ୍ତରୀୟ ସ୍କ୍ବାର୍ଡ ଗଠିତ !

ଆଜି ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ହେବ । ଯାହାକି ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସମୁଦାୟ ୩,୫୦,୮୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । କଳାରେ ୨,୨୦, ୪୩୭, ବିଜ୍ଞାନରେ ୯୭, ୫୭୬, ବାଣିଜ୍ୟରେ ୨୫, ୭୮୫ ଓ ଧନ୍ଦାମୂଳକ ଶିକ୍ଷାରେ ୭, ୦୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୧୬୨୮ ଜୁନିୟର କଲେଜ ବା ହାୟର ସେକେଣ୍ଡାରି ସ୍କୁଲରେ ପଢୁଥିବା ଏହି ଛାତ୍ରଛାତ୍ରୀମାନେ ୧୧୪୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ।


ଯୁକ୍ତ ୨ ପରୀକ୍ଷା ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ମାତୃଭାଷା ବିଷୟ ପରୀକ୍ଷା ଅଛି । ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ଯାଏ ଚାଲିବ । ସକାଳ ୯ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍‌ରେ ପହଞ୍ଚିବେ । ପରୀକ୍ଷା କେନ୍ଦ୍ର ଭିତରକୁ ଛାତ୍ରଛାତ୍ରୀମାନେ ଯିବା ପୂର୍ବରୁ ଦୁଇ ଥର ଯାଞ୍ଚ କରାଯିବ । ଛାତ୍ରଙ୍କୁ ପୁରୁଷ କର୍ମଚାରୀ ଯାଞ୍ଚ କରିବାବେଳେ ଛାତ୍ରୀଙ୍କୁ ମହିଳା କର୍ମଚାରୀମାନେ ଯାଞ୍ଚ କରିବେ । ପରୀକ୍ଷା ଆରମ୍ଭ ହେବାର ଅଧା ଘଣ୍ଟା ପରେ କୌଣସି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯିବ ନାହିଁ ।
ସମଗ୍ର ରାଜ୍ୟରେ ପରୀକ୍ଷା ପ୍ରଶ୍ନପତ୍ର ୨୦୨ଟି ହବ୍‌ରେ ରଖାଯାଇଛି । ପରୀକ୍ଷା ହେବାର ଅଧ ଘଣ୍ଟା ପୂର୍ବରୁ ହବ୍‌ରୁ
ପ୍ରଶ୍ନପତ୍ର ଆସି କେନ୍ଦ୍ରରେ ପହଞ୍ଚିବ । ସକାଳ ୯ଟା ୩୦ ସମୟରେ ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା କେନ୍ଦ୍ରରେ କେନ୍ଦ୍ର ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ ଓ ହବ୍‌ ଅବଜର୍ଭରଙ୍କ ଉପସ୍ଥିତିରେ ସିସିଟିଭି ସାମ୍ନାରେ ଖୋଲାଯିବ । ଆଲର୍ଟମେଣ୍ଟ ଅନୁସାରେ ବିଭିନ୍ନ ଗୃହ ହିସାବରେ ଭାଗ କରାଯିବ । ଏହା ପରେ ଏହାକୁ ସିଲ୍‌ କରାଯାଇ ସମସ୍ତ ପରୀକ୍ଷା ଗୃହକୁ ପଠାଯିବ । ୧୦ଟା ସମୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ପ୍ରଶ୍ନପତ୍ର ବଳିପଡ଼ିଲେ ତା’କୁ ସଙ୍ଗେ ସଙ୍ଗେ ସିଲ୍‌ କରି ରଖାଯିବ । ସେହିଭଳି ପରୀକ୍ଷା ଅଧାରୁ ଆସିଲେ କିମ୍ବା ଟୟଲେଟ୍‌କୁ ଗଲେ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ରକୁ ପରୀକ୍ଷା ପରିଚାଳକଙ୍କୁ ହସ୍ତାନ୍ତର କରିବେ । ପରୀକ୍ଷା ସରିବା ପୂର୍ବରୁ ଯଦି କୌଣସି ଛାତ୍ରଛାତ୍ରୀ ଖାତା ଦାଖଲ କରି ବାହାରକୁ ଆସନ୍ତି ତେବେ ସେମାନେ ପ୍ରଶ୍ନପତ୍ର ସାଙ୍ଗରେ ଆଣିପାରିବେ ନାହିଁ । ହବ୍‌ରୁ ପ୍ରଶ୍ନପତ୍ର ନେବା ଏବଂ କେନ୍ଦ୍ରରୁ ଆଣିବା ସମୟରେ ଡେପୁଟି ସୁପରିଟେଣ୍ଡେଣ୍ଟ ଏବଂ ସୁପରିଟେଣ୍ଡେଣ୍ଟଙ୍କ ଦାୟିତ୍ୱରେ ରହିବେ । ଏଥିସହିତ ପ୍ରଶ୍ନପତ୍ର ନେବା ଆଣିବା ସମୟରେ ପୁଲିସ କର୍ମଚାରୀ ସାଥୀରେ ରହିବେ ।

ଅନ୍ୟପକ୍ଷରେ, ଉତ୍ତର ଖାତାରେ ଲେଖିବା ସମୟରେ ଛାତ୍ରଛାତ୍ରୀମାନେ ଗ୍ରାଫ୍‌ କିମ୍ବା ଅନ୍ୟ କୌଣସି ଚିତ୍ର କଲାବେଳେ ବ୍ଲାକ୍‌ ବଲ୍‌ ପେନ୍‌ ବ୍ୟବହାର କରିବାକୁ ସିଏଚ୍‌ଏସ୍‌ଇ ପକ୍ଷରୁ ପରାମର୍ଶ ଦିଆଯାଇଛି । କାରଣ ଅନ୍‌ଲାଇନ୍‌ ଖାତା ଦେଖା ସମୟରେ କୌଣସି ଅସୁବିଧା ହେବନି । ସବୁଠୁ ମୁଖ୍ୟ ବିଷୟ ହେଉଛି ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ରରେ ଗୋଟିଏ ଗାର ବି ମାରିବେ ନାହିଁ ନଚେତ୍‌ ଏହାକୁ କପି ବୋଲି ଧରାଯିବ ।
ଗତବର୍ଷ ଭଳି ଚଳିତବର୍ଷ କେନ୍ଦ୍ର ପରିସରରେ ମୋବାଇଲ୍‌ ନିଷେଧ ହୋଇଛି । ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ଅଧ୍ୟାପକ, କର୍ମଚାରୀ, ଅଧିକାରୀ କିମ୍ବା ଛାତ୍ରଛାତ୍ରୀ କେନ୍ଦ୍ରକୁ ମୋବାଇଲ୍‌ ନେଇପାରିବେ ନାହିଁ । ପରୀକ୍ଷା ପୂର୍ବରୁ ସମସ୍ତ କର୍ମଚାରୀ ନିଜ ମୋବାଇଲ୍‌ ସୁପରିଟେଣ୍ଡେଣ୍ଟଙ୍କୁ ହସ୍ତାନ୍ତର କରିବେ । ଯଦି କୌଣସି ଅଧ୍ୟାପକ, କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ ଅସାଧୁ ଉପାୟରେ ଧରାପଡ଼ନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପକ୍ଷରେ, ପରୀକ୍ଷା ପାଇଁ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ପ୍ରଶ୍ନପତ୍ର ରଖାଯାଇଥିବା ହବ୍‌ ବୁଲି ଅନୁଧ୍ୟାନ କରିଥିଲେ । ଏହା ସହ ପରୀକ୍ଷା ଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ସାରା ରାଜ୍ୟରେ ୧୧୪୩ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଦିଅନ୍ତୁ । ସବୁ କେନ୍ଦ୍ରରେ ସିସିଟିଭି ଲାଗିଛି । ଏହା ସହ ଦୁଇଥାକିଆ ଯାଞ୍ଚ ବ୍ୟବସ୍ଥା ମଧ୍ୟ ହୋଇଛି । ଏବର୍ଷ ପରୀକ୍ଷା ଶୃଙ୍ଖଳାର ସହ ଶେଷ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

Post a Comment

0 Comments