ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆସନ୍ତା ୫ ତାରିଖରେ ବିଜୁ ପଟ୍ଟନାୟକ ମିନି ମାରାଥନ ଭୁବନେଶ୍ୱରରେ ଆୟୋଜିତ ହେବ । କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି । ମୋଟ ୬ଟି ବର୍ଗରେ ହେବାକୁ ଥିବା ମିନି ମାରାଥନ୍ରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିପାରିବେ ।
ମିନି ମାରାଥନ୍ରେ ୩୫୦୦ରୁ ଅଧିକ ପ୍ରତିଯୋଗୀଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ୧୫ରୁ ୧୮ ବର୍ଷ ବୟସର ବାଳକ ବାଳିକାମାନେ ଅଂଶଗ୍ରହଣ କରିପାରିବେ । ସେହିପରି ବରିଷ୍ଠ ବିଭାଗରେ ୧୮ ବର୍ଷରୁ ଅଧିକ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ । ଭେଟେରାନ୍ ବର୍ଗରେ ୫୦ ବର୍ଷରୁ ଅଧିକ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ । ଏହି ମାରାଥାନ ଆସନ୍ତା ୫ ତାରିଖ ସକାଳ ୭ଟା ସମୟରେ ବିଜୁ ପଟ୍ଟନାୟକ ପାର୍କ (ଫରେଷ୍ଟ ପାର୍କ)ରେ ଶୁଭାରମ୍ଭ ହେବ । ପ୍ରତିଯୋଗୀମାନେ ଏଠାରୁ ବାହାରି ଶିଶୁଭବନ ଛକ, ରାଜମହଲ ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନଂ-୩ ଦେଇ ମୁଖ୍ୟ ପଡ଼ିଆକୁ ଆସିବେ ।
ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଇଚ୍ଛୁକ ପ୍ରତିଯୋଗୀମାନେ ଆସନ୍ତାକାଲିଠୁ ୪ତାରିଖ ମଧ୍ୟରେ ଦିନ ୧୦ଟାରୁ ୫ଟା ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍ରେ ନିଜର ନାମ ପଞ୍ଜୀକରଣ କରିବେ । ସେଠାରୁ ଟି-ସାର୍ଟ ଓ ଚେଷ୍ଟ ନମ୍ବର ନେଇପାରିବେ । ବାହାରୁ ଆସୁଥିବା ପ୍ରତିଯୋଗୀଙ୍କ ପାଇଁ ୪ ତାରିଖ ରାତିରେ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ବିଭାଗ ପକ୍ଷରୁ ରାତ୍ରି ରହଣିର ସୁବିଧା ଯୋଗାଇ ଦିଆଯିବ । ମିନି ମାରାଥନ୍ରେ ଅଂଶଗ୍ରହଣକାରୀଙ୍କୁ ବିଜୁ ପଟ୍ଟନାୟକ ପାର୍କସ୍ଥିତ ଷ୍ଟାର୍ଟିଂ ପଏଣ୍ଟ ଏବଂ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଫିନିସିଂ ପଏଣ୍ଟ ସହିତ ବିଭିନ୍ନ ଛକରେ ବିଭାଗର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଆବଶ୍ୟକ ସୁବିଧା ଯୋଗାଇ ଦେବେ ।
ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କ ଲାଗି ମୋଟ୍ ୧ ଲକ୍ଷ ୫୮ ହଜାର ଟଙ୍କାର ପୁରସ୍କାର ରାଶି ରହିଛି । ୧୮ ବର୍ଷରୁ ଅଧିକ ବରିଷ୍ଠ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୧୨ ହଜାର ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ । ସେହିପରି ଏହି ବର୍ଗରେ ଦ୍ୱିତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୧୦ ହଜାର, ତୃତୀୟଙ୍କୁ ୭ ହଜାର, ଚତୁର୍ଥଙ୍କୁ ୪ ହଜାର ଓ ପଞ୍ଚମଙ୍କୁ ୩ ହଜାର ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ । ୧୫ ରୁ ୧୮ ବର୍ଷ କନିଷ୍ଠ ବାଳକ ଓ ବାଳିକା ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୭ ହଜାର, ଦ୍ୱିତୀୟଙ୍କୁ ୬ ହଜାର, ଚତୁର୍ଥଙ୍କୁ ୩ ହଜାର ଓ ପଞ୍ଚମଙ୍କୁ ୧୫୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ଭେଟେରାନ୍ ବର୍ଗରେ ମଧ୍ୟ ଅନୁରୂପ ଭାବେ ପୁରୁଷ ଓ ମହିଳା ବର୍ଗର ପ୍ରଥମ ସ୍ଥାନ ହାସଲ କରିଥିବା
ପ୍ରତିଯୋଗୀଙ୍କୁ ୭ ହଜାର, ଦ୍ୱିତୀୟ ୬ ହଜାର, ତୃତୀୟଙ୍କୁ ୪ ହଜାର, ଚତୁର୍ଥଙ୍କୁ ୩ ହଜାର ଓ ପଞ୍ଚମଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ ।
0 Comments