ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରେଳବାଇ ଦେଉଥିବା ଯାତ୍ରାକାଳୀନ ସୁବିଧାରୁ କିଛି ପ୍ରତ୍ୟାହାର କରିଛି। ଏଣିକି ରାଜଧାନୀ ଓ ଶତାବ୍ଦୀ ଭଳି ରେଳଗାଡ଼ିରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ସହ ମାତ୍ର ଜଣେ ପିଲାଙ୍କୁ ନେଇ ଯାତ୍ରା କରିପାରିବେ । ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ରେଳବାଇ ପକ୍ଷରୁ ରିହାତି ଦରରେ ରେଳଯାତ୍ରା ଲାଗି ପାସ୍ ଯୋଗାଇ ଦିଆଯାଇଛି । ଏଥିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ୫୦% ରିହାତି ଦରରେ ଯାତ୍ରାର ସୁବିଧା ଥିବାବେଳେ ପରିବାର ସହିତ ବର୍ଷକୁ ୨ ଥର ଦେଶର ଯେକୌଣସି ସ୍ଥାନକୁ ରିହାତି ଦରରେ ଯିବାର ସୁବିଧା ରହିଛି । ପୂର୍ବରୁ ସମସ୍ତ ପ୍ରକାର ରେଳଗାଡ଼ିରେ ନିଜ ପରିବାର ସହ ୨ ଜଣ ପିଲାଙ୍କୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଯାତ୍ରା କରୁଥିବା ବେଳେ ଏବେ ସେଥିରେ କଟକଣା ଲାଗିଛି ।
ସୂଚନାନୁଯାୟୀ, ରାଜଧାନୀ ଓ ଶତାବ୍ଦୀ ଭଳି ରେଳଗାଡ଼ିରେ ଦୁଇ ଜଣ ପିଲାଙ୍କ ବଦଳରେ ମାତ୍ର ଜଣକ ପାଇଁ ରିହାତି ବ୍ୟବସ୍ଥା କରାଯାଇଛି । ଅନ୍ୟ ରେଳଗାଡ଼ିଗୁଡ଼ିକରେ ୨ ଜଣ ପିଲା ରିହାତି ଦରରେ ଯାଇପାରିବେ ବୋଲି ରେଳବାଇର ଅଧିକାରୀମାନେ ସୂଚନା ଦେଇଛନ୍ତି । ସେମାନଙ୍କ କହିବା କଥା ଯେ ରେଳବାଇ ପକ୍ଷରୁ ରାଜଧାନୀ ଓ ଶତାବ୍ଦୀ ଭଳି ରେଳଗାଡ଼ି ଯେଉଁଥିରେ “ଫ୍ଲେକ୍ସି ଫେୟାର୍’ ବ୍ୟବସ୍ଥା ଲାଗୁ ହୋଇଛି ସେଥିରେ ରେଳବାଇ କର୍ତ୍ତୃପକ୍ଷ ଏଭଳି କଟକଣା ଜାରି କରିଛନ୍ତି ।
0 Comments